ଜାଣେ ତୁମେ ଚନ୍ଦ୍ରଶେଣାଙ୍କର ଭାଗ୍ୟରେ ନାଁ ଲେଖି ସାରିଛ, ସେଇଥିପାଇଁ ତ ତମେ ମୋ "ରାଧିକା" । ଅନେକ ଥର ପଚାରିଛି, ସମ୍ପର୍କର ନାମ ଦେବା ପାଇଁ ସନ୍ଧ୍ୟାଟିଏ ବି ମାଗିଛି, ତମେ ତ ନିଜେହିଁ କହିଛ ଏ ବେନାମୀ ସମ୍ପର୍କ ହେଉଛି ଆମ ଦୁହିଁଙ୍କ ର ବିଶେଷତ୍ୱ । ଦୁହେଁ ସମାଜ ସାମ୍ନାରେ ବନ୍ଧୁଠୁ ଅଧିକ, ପ୍ରେମିକ_ପ୍ରେମିକାଠୁ କମ, ଦୁହେଁ ପରସ୍ପର ଠାରୁ ଷାଠିଏ ଯୋଜନ ଦୂରରେ ରହିକି ବି ପ୍ରତି ସ୍ପନ୍ଦନ ରେ ଆତଜାତ କରନ୍ତି, ଗୋଟିଏ ହୃଦୟ ଓଦା ହେଲେ ଆଉ ଜଣଙ୍କ ର ଭାରି ହେଇଯାଏ ।
ଏଇତ ପ୍ରେମ ! ବିବାହ ତ ଶରୀର ସହିତ ହୁଏ, ଟିକିଏ ବି ଲୋଭ ନାହିଁ ସେ ମାୟାର ମଧୁଶାଳାକୁ ଯିବା ପାଇଁ। ଆତ୍ମା ହୀନ ଶରୀରକୁ ଶବ କୁହାଯାଏ । ନା ଥାଉ...ଶରୀର ପ୍ରତି ଟିକେବି ଲାଳସା ନାହିଁ,, ତାଛଡା ମୁଁ ବା ଚନ୍ଦ୍ରଶେଣାଙ୍କ ପରେ ଆସିଛି,,ତାଙ୍କ ପାଖରେ ଶରୀର ରହୁ । ମୁଁ ତ ତମ ମନ ଶାମୁକା ଦୀପ ରେ ବିଶ୍ୱ ପ୍ରେମ ର ଶେଷ ବାନା ଉଡାଇ ସାରିଛି । ଯେଉଁଠି..ସବୁ ମିଛ, କେବଳ ପ୍ରେମ ଯୁଗ ଯୁଗ ପାଇଁ ସତ୍ୟ ।
ସେଦିନର ସେଇ ମଳୟ ସିଞ୍ଚା, ରଙ୍ଗ ଭିଜା ଫଗୁଣ ଏବେବି ମୋ ଆଖି ସାମ୍ନାରେ ଝଲସି ଉଠୁଛି । କ୍ୟାମ୍ପସ ରେ ନବ ଯୌବନା ମାନଙ୍କୁ ଅସ୍ଥିର କରି ରଙ୍ଗ ମାଖି ଚାଲୁଥାଆନ୍ତି ସେମାନଙ୍କ ପୁରୁଷ ସାଥି । ଛାତ୍ରାବାସର କୋଠରୀ ଦରଜା ଦେଇ, ମୁଁ ରହିଯାଇଥିଲି ରଙ୍ଗ ଖେଳକୁ ଅନିଚ୍ଛା ପ୍ରକାଶ କରି । କିନ୍ତୁ ବିଧିର ନିୟମ ଥିଲା ଅଲଗା, ସୃଷ୍ଟିର ସ୍ରଷ୍ଟା ବୋଧେ ଚାହୁଁଥିଲେ ପୁଣି ଏକ ରାଧିକା ର ପୁନଃଜନ୍ମ ହେଉ ବୋଲି । ହଁ ମ...ତମେ..ତମରି କଥା କହୁଛି । ବନ୍ଧୁଙ୍କ ର ବାଧ୍ୟ ବାଧକତା ଆଉ ପଢା ଜୀବନ ର ଶେଷ ବର୍ଷ ହୋଲି ଭାବି ମୁଁ ବାହାରକୁ ପୁଣି ପ୍ରତ୍ୟାବର୍ତ୍ତନ କଲି ରଙ୍ଗଲଗା କ୍ୟାମ୍ପସର ତନୁ ଦେଖିବାକୁ।
-ହେ ମୋ ଅପଢ଼ା ଚିଠିର ଠିକଣା...! ହେ ମୋ ଜନ୍ମ ଜନ୍ମର ମିଠା ଯନ୍ତ୍ରଣା...! କେବେ ଭାବି ନଥିଲି ପୁଣି ଏକ ହସ ର ଜାଲରେ ମୁଁ ସ୍ୱବନ୍ଦୀ ହେବିବୋଲି ।
କିଛି କିଶୋରୀ ଙ୍କ ପଟୁଆର ମାଡି ଆସୁଥିଲା କ୍ୟାମ୍ପସର ଶେଷ ପାଠକ ଆଡୁ । ସମସ୍ତଙ୍କ ତନୁରେ ରଙ୍ଗର ଛିଟା, କିଏ କେଉଁ ନାମ୍ନୀ ଝିଅ ଜାଣିବାଟି କଷ୍ଟକର ବ୍ୟାପାର ଥିଲା ।
-କିନ୍ତୁ, ବିଶ୍ୱାସ କର ସଖି...ତମେ ହିଁ ବାରି ହେଇ ପଡୁଥିଲ, ତୁମର ସେଇ କୋଟି ହୃଦୟରେ ଜୁଆର ଭଟାର କାରଣ ସାଜିଥିବା ଝୁମା ଝୁମା ହସ ପାଇଁ । ମୁଁ ନୁହେଁ, ତମେ ହିଁ ମତେ ଆଗ ସେଇ ହସର ତୀରକୁ ମାରିଥିଲ.... ଯାହା ମତେ ବଧ ନୁହେଁ ବନ୍ଦୀ କଲା ତୁମ ବଳୟରେ । ତମେ ଅନେକ ଥର ଥଟ୍ଟାରେ କହିଛ ସେହି ଦିନଠୁ ତମ କୁଣ୍ଡଳୀରେ କୁଆଡେ ଶନି ଚଢିଥିଲା ବୋଲି । ଦୀର୍ଘ ୯ ବର୍ଷ ପରେ ଦେଖା ବୋଲି ତୁମେ କହିଲ, ମୁଁ କିନ୍ତୁ ତୁମକୁ ଦୀର୍ଘ ୯ ଜନ୍ମ ଧରି ଅପେକ୍ଷା କରିଥିଲି ।
-କାହାଣୀ ଏଇଠୁ ଆରମ୍ଭ...
No comments:
Post a Comment