-ଏ ରାନୀ ତୁ କୁଆଡେ ଯାଇଥିଲୁକି? ପାଞ୍ଚ ଦିନ ହେଲା ଦେଖା ନାହିଁ।ଭଉଣୀ ଘର
ଭୁବନେଶ୍ୱରକୁ ପଳେଇଥିଲୁ ନା କଅଣ? ହଉ ଛାଡେ... ଆଜି ତମ ଘରକୁ ନଯାଇ ଟିକେ ଆମ ଘରେ ରହନ୍ତୁନି ? (ରାନୀକୁ ଚିଡ଼େଇବାକୁ ଲାଗିଲା) ଦେଖ ବାହାରେ କଳା
କିଚି ମିଚି ଅନ୍ଧାର। ରାତି ଆଠଟା ହେଲାଣି । ସାରିଆ ମା କହିଥିଲା ଦୁଇ ଦିନ ହେବ ସିଏ କୁଆଡେ ରମେଶ ବୋଉକୁ ଦେଖୁଛି, ବାଳ ଝାମ୍ପୁଲି କରି ବୁଢ଼ୀ ବାହାରିଥିଲା ତିନି ଛକିଆ
ପାଖରେ। ବୁଢ଼ୀ ସିନା ଦୁଇ ବର୍ଷ ହେଲାଣି ମଲାଣି, କିନ୍ତୁ ତା ଆତ୍ମା କୁଆଡେ ଶାନ୍ତି ପାଇନି ସାନ ପୁଅ
ପାଖରେ ନଥିଲା ବୋଲି
। ସେ ରାତି ହେଲେ
ବାହାରୁଛି।
-ଏ ବିଶୁ ଭାଇ ତୁ ମତେ ଡରଉଛୁ କଅଣ ଯେ? ମୁଁ ଯାଉଛି ମାଉସୀ କି କହିବି ମତେ ସିଏ ଛାଡି ଦେଇ
ଆସିବ ଛକ ମୁଣ୍ଡରେ । ମୁଁ ଆଉ ଆସିବିନି ତମ ଘରକୁ କାଲି ଠାରୁ । ଖାଲି ବଉଳ ମୋର ଅଛି ବୋଲି ଆସେ
।
ବିଶୁ ଆଉଟିକେ, ରାନୀପାଖକୁ ଲାଗିଯାଇ, ଘର ର ଛାତ ଉପରେ ରାନୀ ହାତ ଉପରେ ହାତ ରଖି
କହିଲା,
-ଏ ରାନି ଖାଲି କଅଣ ତୁ ମୋ ସାନ ଭଉଣୀର ସାଙ୍ଗ? ତୁ ତା ପାଇଁ ଆମ ଘରକୁ ଆସୁ? ମୁଁ କଅଣ କିଛି ନୁହେଁ?
-ବିଶୁ ଭାଇ ଟିକେ ଘୁଂଚିକି ବସ, ବଉଳ ଆସୁଥିବ । ଏତିକି ବେଳେ ପାୱାର କଟ ହବାର ଥିଲା
। ଲଣ୍ଠନ ପାଇଁ
ଯାଇଛି...କି
ଲଣ୍ଠନ କିଣିବାକୁ ଛକ ବଟିଆ ସାହୁ ଦୋକାନ କୁ ପଳେଇଲା ବଉଳ!
ବିଶୁ ହାତକୁ ହଟେଇ ଦେଇ ରାନୀ ଆଉଟିକେ ଦୂରକୁ
ଘୁଞ୍ଚିଗଲା ଆଉ ସିଡ଼ି ପାହାଚ ଆଡକୁ ବ୍ୟସ୍ତ ହୋଇ ଚାହିଁଲା ।
-ଲଣ୍ଠନ ପରେ ଆସିଲେ ଚଳିବ । ଏଇ ଦେଖˎନା ଆକାଶ ଆଜି କେତେ ନିର୍ମଳ ଲାଗୁଚି । କାଲି ମେଘୁଆ ଥିଲା । ପୁନେଇ ଆଉ ଦୁଇ ଦିନ ଗଲେ...ଜହ୍ନର ହାଲକା କିରଣରେ ତୋ ମୁହଁ ଜଳୁଛିଲୋ.. ପୁନେଇ ଦିନ ଆସିବୁ ତ ଆମ ଘରକୁ, ଦେଖିବି କେମିତି
ଦିଶେ ମୋ ରାନୀ ।
-ବିଶୁ ଭାଇ...
କିଛି କହିବାକୁ ଚଉଁଥିଲା ରାନୀ ଏତିକି ବେଳେ ବିଶୁର
ଭଉଣୀ ବର୍ଷା ଆସି ଡାକିଲା -ଆସେ ବଉଳ, ଘରକୁ ଯିବୁ। ବାପା ଭାଗବତ ଘରକୁ ଯାଉଛନ୍ତି, ସିଏ ଯାଇକି ଆସୁ ଆସୁ ରାତି ଏଗାର ହେଇଯିବ, ଭାଇ ସହତ
ତୁ ଯିବୁ ନାହିଁ । ଆସେ,
ସେଇ ବାଟେ ବାପା
ତତେ ଛାଡି ଆସିବେ ତମ ଘରେ । ଭାଇ.. ତୁ ଏ ଲଣ୍ଠନ ରଖ ।
ରାନୀ ଚାଲିଆସିଲା ଛାତ ଉପରୁ ବର୍ଷା ପଛେ ପଛେ ।
ପଛରୁ ଡାକିଲା ବିଶୁ
-ବର୍ଷା ଏ ଲଣ୍ଠନ ତଳେ ରଖିଦେଇ ଯିବୁ । ଏବେ ଆଉ ଦରକାର
ନାହିଁ
ଖଣ୍ଡି-କାଶ ଦେଇ ବର୍ଷା କହିଲା ସତେବେଳେ କୋଉ ଦରକାର
ଥିଲାଯେ?
ରାତି ପାଖା ପାଖି ବାରଟା ହବ । ବାହାରେ ଲୋକଙ୍କ
ପାଟି ଶୁଭୁଛି ନା କଅଣ? ଶୋଇବା ଘର କବାଟ ଖୋଲି ବାହାରକୁ ଆସିଲା ବିଶୁ । ଗାଁ ଯାକ ଲୋକ ତାଙ୍କ
ଦାଣ୍ତ ପିଣ୍ଡା ରେ ଏକାଠି ହେଇଛନ୍ତି । ବେହୋସ ହୋଇ ଦାଣ୍ଡ ପିଣ୍ଡାରେ ଶୋଇଛନ୍ତି ବିଶୁର ବାପା ।
ପାଣି ଛାଟୁଛି ମଦନ ଭାଇ । ନିଶ୍ୱାସ ଚାଲୁଛି । ପାଦକୁ ଘଷୁଛି ବର୍ଷା । ବୋଉ ମୁଣ୍ଡ ପାଖରେ
ବସି ଥିଲା...ଯେମିତି ବିଶୁକୁ ଦେଖିଲା ଜୋରରେ ଚିଲେଇ ଚିଲେଇ କହିଲା
-ତୋ ବାପା ଆଜି ଭାଗବତ ପଢିବାକୁ ଯାଇ
ନାହାନ୍ତିରେ...ବାଟରେ ସେ ତିନି ଛକିଆ ପାଖରେ ବେହୋସ ହେଇକି ପଡ଼ିଥିଲେ। ଏବେ ମଦନ ଆଣିକି ଆସିଲା
।
ଏତିକି ବେଳେ ସାରିଆ ମା ର ପାଟି ଶୁଭିଲା । ଦେଖିବ
ଆସ ରମେଶ ବୋଉକୁ । ପୁଣି ବସିଲାଣି ସେ ତିନି ଛକିଆ ରେ ।
-ଭୟରେ ସମସ୍ତ ଙ୍କ ଭିତରେ ଶିହରଣ ଖେଳି ଗଲା । କେହି
କିଛି ବୁଝିବା ଆଗରୁ ଦୌଡ଼ି ଗଲା ବିଶୁ ତିନି ଛକିଆ ପାଖକୁ । ଏତିକି ବେଳେ ଗୋଟିଏ ଚାରି ଚକିଆ
ଗାଡି ଆସି ଲାଗିଲା ଆସି ତିନି ଛକିଆ ପାଖରେ । ଗାଡି ଆଲୁଅରେ ସେଠାରେ କେହି ନଥିବା ସ୍ପଷ୍ଟ ଜଣା
ପଡୁଥିଲା । ବିଶୁ କୁ ଦେଖି ଗାଡି ଭିତରୁ ଓହ୍ଲାଇଲା ରାନୀର ଭାଇ ଆଉ କହିଲା
--ବିଶୁ ଭାଇ ଏଠି ଏତେରାତିରେ କଅଣ କରୁଛ?
-ଆରେ ରାଜୁ ତୁ ଏତେ ରାତିରେ କୋଉଠୁ ଫେରୁଛୁ।
ଗାଡ଼ିରେ ମଉସା ବି ଅଛନ୍ତିଯେ।
-ଭାଇ ତମେ ଜାଣିନକି? ପାଞ୍ଚ ଦିନ ହେଲା ରାନୀ ଅପା ଚାଲିଗଲାଣି । ବଡ଼ ଅପା
ଘରକୁ ଭୁବନେଶ୍ୱର ଯାଇଥିଲା,
ଆଉ ରାଜମହଲ ଛକରେ
ଆକ୍ସୀଡେଣ୍ଟରେ,
ଅପା ଚାଲିଗଲା।
ତାର ସବୁ କର୍ମ ସିଆଡେ ସାରିକି ଫେରୁଛୁ....
-ପଥର ହେଇ ବିଶୁ ଛିଡା ହେଇଥିଲା ତିନି ଛକିଆରେ... କିଆ ଗୋହରୀ ଆଡକୁ ଚାହିଁଥିଲା ଏକା
ଲୟରେ। ଲାଗୁଥିଲା ସେଇଠି ବାଳ ଝାମ୍ପୁଲି ବସିଛି....
ତୃପ୍ତି ରଞ୍ଜନ ଦାସ
ଡିହସାହି, ଜଗତସିଂହପୁର
No comments:
Post a Comment