New

Post Top Ad

Shubhapallaba free eMagazine and online web Portal

Monday, April 6, 2020

ଭୋକ



ଭୋକ

{ତିନୋଟି ରୂପରେ, ନଥିଲା ଆତ୍ମପ୍ରଚାର, ମହାମାରୀ ସମୟ}
.........................................…................................

ବାଡ଼ି ପଟରୁ ଦୁଇଟି ବିଲାତି ବାଇଗଣ ଆଣି ରୋଷେଇ ଘର ସମ୍ନାରେ ରଖିଦେଲେ ରାଧାକାନ୍ତ ଦାସ । ଦେହରୁ ନିଗିଡି ପଡୁଥିବା ଝାଳକୁ ରୋକିବା ପାଇଁ ତୁରନ୍ତ ପଙ୍ଖା ଚଲେଇ ଦେଲେ ପତ୍ନୀ କାବେରୀ । ପାଖରେ ପଡିଥିବା ଚୌକି ରେ ଲଥ ହେଇ ବସି ପଡିଲେ ରାଧାକାନ୍ତ ଆଉ ମୁଁହ ଉପରେ ଗାମୁଛା ବୁଲାଉ-ବୁଲାଉ କହିଲେ "ତାକୁ ପୋଡି ଦେବ, ଭଲସେ ଲଙ୍କା, ସୋରିଷ ତେଲ ଆଉ ପିଆଜ ପକେଇ ଚକଟି ଦେବ...ଆଜି ଟିକେ ପଖାଳ ଖାଇବା"।

-ହଉ ହେଲା ତମେ ଯାଇକି ଗାଧେଇ-ପଡି ଆସ । କାବେରୀ କହିଲେ ।

-ଦୀର୍ଘ ନିଶ୍ୱାସ ଟିଏ ଛାଡି ରାଧାକାନ୍ତ କହିଲେ..."କେଜାଣି କଅଣ ସେମାନେ ଖାଉଥିବେ ? ଏ ବେମାରି ଦିନକୁ ଦିନ ବଢ଼ିବାରେ ଲାଗିଛି । ଥମିବାର ନାଁ ନେଉନାହିଁ । ଚାରି ଆଡେ ବନ୍ଦ । ଆମର ସିନା ଘରେ ଧାନ ଚାଉଳ, ବାଡ଼ିରେ ପନି ପରିବା ଲାଗିଛି । ସେଥିପାଇଁ ଏ ବନ୍ଦ-ବାନ୍ଦ କୁ ଟିକିଏବି ଚିନ୍ତା ନାହିଁ । ହେଲେ ସେମାନେ କଅଣ ପେଟ ପୁରା ଖାଇ ପାରୁଥିବେ?

-ହଁ...ମତେ ବି ସେଇ ଗୋଟିଏ ଚିନ୍ତା । ଗଲା ବେଳେ ତାକୁ ଏତେ କହିଲି, ଚାଉଳ ବସ୍ତାଟିଏ ନେଇଯା । କହିଲା ଲାଜ ଲାଗିବ, ଗାଡି ଭିତରୁ ଅଖା ବସ୍ତାଟା କାଢ଼ିବାକୁ । ବୋହୁବି ତା ସହ କହିଲା.."ଆମେ ରୋଷେଇ କେବେ କେମିତି କରୁ । ପ୍ରାୟ ସମୟ ବାହାରେ, ରେଷ୍ଟୁରାଣ୍ଟ ଯାଇ ଖାଇ ନେଉ । ନହେଲେ ନେଟରୁ ମଗାଇ ଦେଉ। କାବେରୀ ଦେବୀ ରାଧାକାନ୍ତ ବାବୁଙ୍କୁ କହିଲେ ।

-ମୁଁ ସେମାନଙ୍କ କଥା କହୁନି କାବେରୀ..
-ଆଉ?
-ଆମ ଗାଈ କାମ ଆଉ ବିଲ କାମ କରିବାକୁ ଆସୁଥିବା ଚକରାର ପିଲା ଛୁଆ କଥା ଭାବୁଛି । ବିଚରା ଦିନ ମଜୁରିଆଟା । ସମ୍ପତି କହିଲେ ଘର ଡିହ । ଚାଷ ଜମି କିଛି ନାହିଁ । ସଂଜକୁ ପଇସା ନିଏ, ତେଲ ଲୁଣ କିଣେ । ପୁଣି ଆରଦିନକୁ ସେଇ କଥା । ଏ କାବେରୀ..ମତେ ତମେ ସେ ଚାଉଳ ବସ୍ତାଟି ଦିଅ ମୁଁ ତା ଘରେ ଦେଇ ଆସେ ।

-କଅଣ କହିଲ ? ତୁମ ପୁଅ ବୋହୂ ଭୁବନେଶ୍ୱରରେ ବନ୍ଦୀ ହେଇକି ଅଛନ୍ତି । ତମେ ତାଙ୍କ କଥା ନଭାବି ଚକରା କଥା ବସି ଭାବୁଛ!

-ତାଙ୍କ ପାଖରେ ତ ପଇସା ଅଛି ।ସପ୍ତାହରେ ରାସ୍ତା କଡ଼ରେ ହାଟ ବସୁଛି । କିଣିବେ ଆଉ ଖାଇବେ । କିନ୍ତୁ ଚକରା ଦିନ ମଜୁରିଆଟା । ସିଏ କୋଉଠୁ ଟଙ୍କା ଆଣିବ? ନାଁ ତାର ବ୍ୟାଙ୍କ ଆକାଉଣ୍ଟ ଅଛି ଯେ ସରକାର ଯୋଜନା ରେ ଆସୁଥିବା ପଇସା ତା ପାଖକୁ ଯିବ?  ନା କିଏ ତାକୁ ସାହାଯ୍ୟ କରୁଥିବ ?

              ଏତିକି ବେଳେ ବାହାରୁ ଜୋରରେ ପାଟି ଶୁଭିଲା "ବାବୁ... ବାବୁ..."
ଆରେ ଚକରା ପାଟି ଭଳିଆ ଶୁଭୁଛି ନା କଅଣ ?..ହଁ ତ ଚକରା । କଅଣ ହେଲା କିରେ, ଏମିତି ଘର ପୋଡି ଗଲା ଭଳି ଡାକୁଚୁ ।
-ବାବୁ ମୁଁ କଅଣ କହୁଥିଲି କି ଏବେତ ମୁଗ ଓପଡା ସମୟ । ଆପଣଙ୍କ ମୁଗ ଓପଡ଼ା ହବନି କି? ଚାରି ମାଣିଆରେ ମୁଗ ହେଇଗଲାଣି । କହନ୍ତେ ଯଦି ତାକୁ ନେଇ ଆସନ୍ତି ଆପଣଙ୍କ ବାଡିକୁ ।

-ଆରେ ଚକରା ଏବେ ପରା ସରକାର ମନା କରିଛନ୍ତି ଏକାଠି ହେବାକୁ । କେମିତି ତତେ ନେଇକି କାମ କରେଇବି । କଟକଣା ଚାରି ଆଡେ । କେହି ପଦାକୁ ଆସନାହିଁ ବୋଲି ଡେଲି ସରକାର ସଚେତନ କରୁଛନ୍ତି ।

                 ଚକରାର ମୁହଁ ଶୁଖିଆସିଲା ରାଧାକାନ୍ତ ଉତ୍ତରରେ । ଘର ଭିତରକୁ ଚାହିଁଲେ ରାଧାକାନ୍ତ, ଦେଖିଲେ ପତ୍ନୀ କାବେରୀ ବିଲାତି ବାଇଗଣ ଚକଟିବାରେ ବ୍ୟସ୍ତ । ଅଣ୍ଟାରୁ ୫୦୦ ଟଙ୍କା କାଢି ଧରେଇ ଦେଲେ ଚକରାକୁ ଆଉ କହିଲେ "ଯେବେ ମୁଗ କାମ ହେବ ତତେ ମୁଁ କହିବି....ତୁ ଏବେ ଯା"।

ଚକରାର ଆଖିର ଲୁହ ଓଠକୁ ଛୁଇଁ ସାରିଥିଲା ଆଉ ହାତ ଦୁଇଟି ଉପରକୁ ଉଠି ବାବୁଙ୍କୁ କୋଟି ଦଣ୍ଡବତ କରିବାକୁ ଲାଗିଲା । ଚକରା ଚାଲିଯିବା ପରେ, ଛଳ ଛଳ ଆଖିରେ ରାଧାକାନ୍ତ ବାବୁଙ୍କ ଅନ୍ତର ଦେଖିଥିଲା ଭୋକର ତିନୋଟି ରୂପକୁ ଆଉ ସ୍ୱାଭିମାନି ଭୋକକୁ ।

ଡ଼ଃ ତୃପ୍ତି ରଞ୍ଜନ ଦାସ
କାଦୁଅପଡା, ଜଗତସିଂହପୁର

2 comments:

  1. 1xBet korean sports betting rules and bonus - Legalbet
    1xbet korean sports betting rules and 제왕 카지노 bonus · 1xBet korean sports betting rules and bonus · 1xBet korean 1xbet korean sports betting rules and bonus deccasino · 1xBet korean sports betting

    ReplyDelete
  2. Iron Spade Spade - Iron Spade Art | T-Shirt
    Iron Spade titanium mokume gane is the trademarked titanium ring trademark titanium mountain bikes of titanium tent stove S.A.R.A.R.A.R.A.R.A.R.A.R.A.R.A.R.A.R.A.R.A.R.A.R.A.A.R.A. titanium metal

    ReplyDelete

Shubhapallaba free eMagazine and online web Portal

Post Top Ad

Shubhapallaba free eMagazine and online web Portal